ଭୂମିଠାରୁ ୩୦୦୦ ଫୁଟ ତଳେ ରହିଛି ଗାଁ?

କଣ ରହିଛି ଏହି ଗାଁର ରହସ୍ୟ

ନୂଆଦିଲ୍ଲୀ: ଭୂମିଠାରୁ ୩୦୦୦ ଫୁଟ ତଳେ ଏକ ନିଆରା ଗାଁ। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା। ଗାଁର ପରିବେଶ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଗାଁର ବାତାବରଣ ମନରେ ଶାନ୍ତି ଦେଇଥାଏ। ଆମ ଭାରତର ଗାଁ ଗୁଡିକ ବେଶ୍ ସୁନ୍ଦର ଓ ଚମତ୍କାର ପରିବେଶରେ ଭରପୁର। ହେଲେ ଭାବନ୍ତୁ ବିଦେଶ ମାଟିରେ ଏଭଳି କିଛି ଗାଁ ରହିଥିବ କି ଯାହା ବେଶ୍ ଭିନ୍ନ। ଏହି ଗାଁର ଥିବ ଭିନ୍ନ ଏକ ଦୁନିଆ। ତେବେ ଉତ୍ତର ହେବ ହଁ, କାରଣ ଆମେରିକାର ଏରିଜୋନାର ଗ୍ରାଣ୍ଡ କୈନିୟନରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ ଅନେକ ଲୋକ ରହିଥାଆନ୍ତି, ହେଲେ ବାହାର ଦୁନିଆଠାରୁ ଏହି ଲୋକମାନେ ଅଜଣା। ଆଉ ଏହି ଗାଁଟି ହେଉଛି ସୁପାଇ ଇଣ୍ଡିଆନ୍ ଭିଲେଜ। ଆଉ ଏହାକୁ କ୍ୟାରେର କୈନିୟନ ନାଁରେ ବି ଜଣାଶୁଣା।

କୁହାଯାଏ ଏହା ଆମେରିକାର ଏକମାତ୍ର ଏକାନ୍ତ ଗାଁ। ଯେଉଁଠାରେ ହଓ୍ୱାସୁପାଇ ବା ରେଡ୍ ଇଣ୍ଡିଆନ୍ ଜନଜାତିର ଲୋକମାନେ ବସବାସ କରନ୍ତି। ଆଉ ଏହି ଜନଜାତିର ଲୋକମାନେ ଆମେରିକାର ମୂଳ ନିବାସୀ ବୋଲି କୁହାଯାଏ। ସେମାନେ ଏଠାରେ ୮୦୦ ବର୍ଷରୁ ଅଧିକ ସମୟ ହେବ ବସବାସ କରିଆସୁଛନ୍ତି। ଏହି ଗାଁଠାରୁ ୧୩ କମି ଦୂରରେ ରହିଛି ସଡକ। ଏଠାରେ କୌଣସି ବଡ ଯାନବାହାନ ପହଁଚିପାରିବ ନାହିଁ। ଗାଁକୁ କେବଳ ହେଲିକପ୍ଟର ଓ ଗଧ ସାହାଯ୍ୟରେ ଯାତାୟତ ବା ପରିବହନ କରିହୁଏ।  ପାଦରେ ଚାଲିଚାଲି ଘାଟି ରାସ୍ତା ଦେଇ ଆପଣ ଏଠାରେ ପହଁଚିପାରିବେ। ଏହାର କାରଣ ଏହି ଗାଁ ଭୂମିଠାରୁ ୩୦୦୦ ଫୁଟ ତଳେ ରହିଛି। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା।

ଏହି ଗାଁର ଜନସଂଖ୍ୟା ପାଖାପାଖି ୬୦୦ ହେବ। ତେବେ କୁହାଯାଏ ଭୂମିଠାରୁ ୩୦୦୦ ହଜାର ଫୁଟ୍ ତଳେ ବସିଥିବା ଏହି ଗାଁର ନିଆରା ଦୁନିଆରେ ଅନେକ ରହସ୍ୟ ରହିଛି। ଏହି ସୁପାଇ ଗାଁଟି ବେଶ୍ ପୁରୁଣା ମଧ୍ୟ। ବର୍ତ୍ତମାନର ଟେକନୋଲୋଜି ସମୟରେ ଏହା ଏକମାତ୍ର ଗାଁ ଯେଉଁ ଗାଁରେ ଚିଠି ପାଇବା ପାଇଁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡେ। ଆଉ ଚିଠି ଗୁଡିକୁ ଗଧ ଏଠାକାର ଲୋକଙ୍କ ନିକଟରେ ପହଁଚାଇଥାଏ। ଏହି ଗଧ ଗାଡିରେ ୟୁନାଇଟେଡ୍ ଷ୍ଟେଟ୍ ପୋଷ୍ଟାଲ ସର୍ଭିସର ମୋହର ଲାଗିଥିବା ଦେଖିବାକୁ ମିଳେ। ଏହି ଗାଁର ଚାରିପାଖରେ ବଡ ଓ ଉଚ୍ଚ ପାହାଡମାନ ରହିଛି। ଆଉ ଗଭୀର ଘାଟୀରେ ଥିବା ଏହି ସୁପାଇ ଗାଁ ବର୍ଷ ବର୍ଷ ଘରି ସ୍ୱାଧୀନ ଭାବେ ରହିଆସିଛି। ଏଠାରେ ଲୋକମାନେ ପାଣିକୁ ପବିତ୍ରତାର ପ୍ରତୀକ ବୋଲି ମାନିଥାଆନ୍ତି। ଆଉ କୁହାଯାଏ ଯେ, ଏଠାରେ ବହୁଥିବା ଫିରୋଜୀ ରଙ୍ଗର ପାଣିରୁ ହିଁ ଏହି ଜନଜାତିର ଜନ୍ମ।

ଆହୁରି ପଢ଼ନ୍ତୁ

ତେବେ ଏଠାକାର ଆବଡା ଖାବଡା ରାସ୍ତାରେ ଟିକେ କଷ୍ଟ କରି ଯିବା ପରେ ଲାଗେ ଯେପରି ଏହି ଗାଁରେ ପହଁଚିବା ପରେ ସ୍ୱର୍ଗୀୟ ଅନୁଭୂତି ପ୍ରାପ୍ତି ହୋଇଥାଏ। ଏହି ଗାଁଟି ଟ୍ରାଫିକ୍, ଗାଡି ମଟର ଶବ୍ଦ ତଥା ପ୍ରଦୂଷଣରୁ ଦୂରରେ। ଏଠାରେ ପୋଷ୍ଟ ଅଫିସ୍ ଅଛି, କ୍ୟାଫେ ଅଛି, ଦୁଇଟି ଚର୍ଚ୍ଚ ରହିଛି, ଲଜ୍ ଅଛି, ପ୍ରାଇମେରୀ ସ୍କୁଲ୍ ବି ଅଛି। ଆଉ ତା ସହ ଛୋଟ ବଡ ଦୋକାନ ମଧ୍ୟ ରହିଛି। ଏଠାରେ ଏବେ ବି ଲୋକମାନେ ଆଂଚଳିକ ହଓ୍ୱାସୁପାଇ ଭାଷା କହିଥାଆନ୍ତି ଓ ଏକ ନିର୍ଦ୍ଧିଷ୍ଟ ଫଳ ସହ ମକା ଖାଇବାକୁ ପସନ୍ଦ କରିଥାଆନ୍ତି।

ରୋଜଗାର ପାଇଁ ସେମାନେ ଭିନ୍ନ ଧରଣର ଟୋକେଇ ନିର୍ମାଣ କରି ସହରରେ ବିକ୍ରି କରିଥାଆନ୍ତି। ଟୋକେଇ ପ୍ରସ୍ତୁତ କରିବା ଏଠାକାର ପାରମ୍ପରିକ ବ୍ୟବସାୟ। ବିଂଶ ଶତାବ୍ଦୀ ବେଳକୁ ଏହି ଗାଁକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ ଏଠାକାର ଜନତା ରୋକ ଲଗାଇଥିଲେ। କିନ୍ତୁ ଆମଦାନୀ ତଥା ବ୍ୟବସାୟ ବଢାଇବା ପାଇଁ ପାଖାପାଖି ୧୦୦ ବର୍ଷ ପୂର୍ବେ ଏହି ଗାଁକୁ ଲୋକମାନଙ୍କର ପ୍ରବେଶ ଉପରେ କଟକଣା ହଟାଇ ଦିଆଯାଇଥିଲା। ପ୍ରତିବର୍ଷ ପାଖାପାଖି ୨୦ହଜାରରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି। ଏଠାକାର ସୁନ୍ଦରତା ତଥା ଲୋକମାନଙ୍କର ଜୀବନଶୈଳୀ ଦେଖିବା ସହ ଲୋକମାନେ ମନଭରି ଏହି ନିଆରା ସ୍ଥାନକୁ ଉପଭୋଗ କରିଥାଆନ୍ତି। କିନ୍ତୁ ଏଠାକୁ ଯିବାକୁ ହେଲେ ଟ୍ରାଇବଲ କାଉସିଂଲର ଅନୁମତି ନେବାକୁ ପଡିଥାଏ।

ଫେବୃଆରୀରୁ ନଭେମ୍ବର ଯାଏଁ ଏଠାରେ ପର୍ଯ୍ୟଟକଙ୍କର ଭିଡ ଦେଖିବାକୁ ମିଳେ। ଏଠାରେ ଲୋକମାନେ ଅତିଥି ମାନଙ୍କୁ ନିଜ ଘରେ ବି ରଖିଥାଆନ୍ତି। ପର୍ଯ୍ୟଟକମାନେ ଏଠାରେ ଚନ୍ଦ୍ରମା ରାତିରେ ଝରଣାର କୁଳୁକୁଳୁ ନାଦ ସହ ଏହି ଗାଁର ସୁନ୍ଦରତାର ମଜା ଉଠାଇଥାଆନ୍ତି।

Source link

Leave a Reply

Your email address will not be published. Required fields are marked *