ଜୁଲାଇ ଶେଷ ସୁଦ୍ଧା ପିଲାଙ୍କୁ ମିଳିବ ଭାକ୍ସିନ !
ଭୁବନେଶ୍ୱର: ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାଙ୍କୁ ମିଳିପାରେ କରୋନା ଟିକା । ଫାର୍ମା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ବିକଶିତ ଟିକା ଜାଇକୋଭ୍-ଡି ର ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ସରକାର ୧୨ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ କରିପାରନ୍ତି । ଏହି ସୂଚନା ଦେଇଛନ୍ତି ଜାତୀୟ ଟିକାକରଣ ପରାମର୍ଶଦାତା କମିଟି ‘ଏନଟାଗି’ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା ।
ଗୁଜରାଟ ଅହମ୍ମଦାବାଦର ଫାର୍ମା କଂପାନୀ ଜାଇଡସ୍ କାଡିଲା ପକ୍ଷରୁ ଜାଇକୋଭ୍-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଖୁବ୍ଶୀଘ୍ର DCGI ନିକଟରେ ଆବେଦନ କରାଯାଇପାରେ । ଏହା ଉଭୟ ପ୍ରାପ୍ତ ବୟସ୍କ ଓ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯାଇ ପାରିବ। ତେଣୁ ଏହି ଟିକାକୁ ଅନୁମତି ମିଳିଲେ, ପ୍ରାପ୍ତ ବୟସ୍କଙ୍କ ଟିକାକରଣ ପାଇଁ ଆଉ ଏକ ବିକଳ୍ପ ସୃଷ୍ଟି ହେବ।
ଅନ୍ୟପକ୍ଷେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସୂଚନା ଅନୁସାରେ, ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସେପ୍ଟେମ୍ବର ସୁଦ୍ଧା ଆସିଯିବ ବୋଲି ଆଶା କରାଯାଉଛି । ପିଲାଙ୍କ ପାଇଁ ଫାଇଜର୍ ଟିକା ମଧ୍ୟ ଅନୁମତି ଅପେକ୍ଷାରେ ରହିଛି।
ସୂଚନାଥାଉ କି, ଦେଶରେ ୧୮ ବୟସରୁ ଅଧିକ ବୟସର ୯୩-୯୪ କୋଟି ଲୋକଙ୍କୁ ଟିକା ଦେବାକୁ ବର୍ତ୍ତମାନ ଟିକାର ୧୮୬-୧୮୮ କୋଟି ଡୋଜ୍ ଆବଶ୍ୟକ। ଏଥିରୁ ଜୁଲାଇ ୩୧ ସୁଦ୍ଧା ୫୧.୬ କୋଟି ଟିକା ଉପଲବ୍ଧ ହୋଇଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କେନ୍ଦ୍ର ସରକାର ଟିକା ଦେବେ। କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି, ଲକ୍ଷାଧିକ ଲୋକଙ୍କ ମୁଣ୍ଡ ବି ନେଇଛି। ଆଉ ଏହାରି ମଧ୍ୟରେ ଟିକାକରଣକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।
ଆହୁରି ପଢ଼ନ୍ତୁ
ଦେଶ କରୋନାର ୨ୟ ଲହରରୁ ମୁକ୍ତି ପାଇନି। ପୁଣି ମାଡି ଆସିଲାଣି ୩ୟ ଲହରର ଭୟ। ଦେଶରେ କରୋନାର ତୃତୀୟ ଲହରୀ ୬ ରୁ ୮ ମାସ ମଧ୍ୟରେ ଦେଖାଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ତା ପୂର୍ବରୁ ଟିକାକରଣ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ ହୋଇପଡ଼ିଛି।
ସୂଚନାଥାଉ କି, ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ତଳକୁ ଖସିଛି। ଆଜି ଦିନକରେ ୯୭୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୬ ହଜାର ୭୩୦କୁ ବୃଦ୍ଧି ପାଇଛି। ସେହିପରି ଆଜି ଦେଶରେ ୪୬ ହଜାର ୧୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୨ ଲକ୍ଷ ୭୯ ହଜାର ୩୩୧କୁ ବୃଦ୍ଧି ପାଇଛି। ଦେଶରେ ଏବେ ଆକ୍ଟିଭ କେସ- ୫,୭୨,୯୯୪ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୨,୯୩,୦୯,୬୦୭ ଜଣ।