ଗାଁରେ ପହଞ୍ଚିବା ପରେ ଜନ୍ମମାଟିକୁ ମୁଣ୍ଡରେ ଲଗାଇଲେ ରାଷ୍ଟ୍ରପତି, ଭାଇରାଲ୍ ହେଲା ଫଟୋ
ଲକ୍ଷ୍ନୌ: ଜନ୍ମ ମାଟିକୁ କିଏ କେବେ ଭୁଲିଛି ନା ଭୁଲିପାରିବ। ଜନ୍ମମାଟି କେତେ ମହାନ ତାହାର ଉଦାହରଣ ଦେଇଛିନ୍ତି ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଦେହତ ଜିଲ୍ଲାର ପରାଉଙ୍ଖ୍ ନିକଟରେ ହେଲିପ୍ୟାଡରେ ଅବତରଣ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଜନ୍ମ ମାଟିକୁ ଛୁଇଁ ପ୍ରଣାମ କରିଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାଷ୍ଟ୍ରପତି କହିଛନ୍ତି, ଆଜି ଯାହା ବି ମୁଁ ହୋଇଛି ତାହାର ସମସ୍ତ ଶ୍ରେୟ ମୋର ଜନ୍ମଭୂମି କୁ ହିଁ ଯିବ। କାରଣ ଦିନେ ଏହିଠାରେ ଜନ୍ମଗ୍ରହଣ କରିବା ପରେ ହିଁ ଆଜି ଦିଲ୍ଲୀର ଲାଲକିଲ୍ଲାରେ ମୁଁ ପହଞ୍ଚିପାରିଛି। ରାଷ୍ଟ୍ରପତିଙ୍କ ପୈତୃକ ବାସଭବନ ଉତ୍ତରପ୍ରଦେଶରେ। ତେବେ ରାଷ୍ଟ୍ରପତି ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ଆଉ ନିଜର ଏହି ଗସ୍ତ ସମୟରେ ନିଜ ଜନ୍ମ ସ୍ଥାନକୁ ଯାଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖୋଦ୍ ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଜନ୍ମସ୍ଥାନରେ ପହଂଚିବା ପରେ ପ୍ରଥମେ ମାଟିକୁ ନିଜ ମଥାରେ ମାରିଥିଲେ। ଆଉ ରାଷ୍ଟ୍ରପତିଙ୍କ ଜନ୍ମମାଟି ପ୍ରତି ଥିବା ଶ୍ରଦ୍ଧାକୁ ଦେଖି ଉପସ୍ଥିତ ଥିବା ଅତିଥିମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ।
ଏହାସହ ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି ଯେ, ମୁଁ ଯେଉଁଠାରେ ବି ଥାଏ ମୋର ଜନ୍ମମାଟିର ବାସ୍ନା ମତେ ବିମୋହିତ କରେ। ଗାଁରେ ଯେଉଁ ପରି ଭାବରେ ମୋର ପିଲାଦିନ କଟିଛି ତାହା ମତେ ଏବେ ବି ଅନେକ କିଛି ମନେ ପକାଇଥାଏ। ପିଲାବେଳର ସମସ୍ତ ସ୍ମୃତି ଏବେ ବି ସତେଜ୍ ଅଛି। ଗାଁର ଆନନ୍ଦ ଆଉ କେଉଁଠାରେ ନାହିଁ ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି।
କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ମାତୃଭୂମିରୁ ମିଳିଥିବା ପ୍ରେରଣା ମତେ ହାଇକୋର୍ଟରୁ ସୁପ୍ରିମକୋର୍ଟ,ପରେ ସୁପ୍ରିମକୋର୍ଟରୁ ରାଜ୍ୟସଭା… ପରେ ରାଜ୍ୟସଭାରୁ ରାଜଭବନ ଆଉ ଏବେ ରାଜଭବନରୁ ରାଷ୍ଟ୍ରପତି ହୋଇପାରିଛି ବୋଲି ରାମନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସ୍ୱପ୍ନରେ କେବେ ହେଲେ ବି ଭାବିନଥିଲି ମୁଁ ଦେଶର ସର୍ବୋଚ୍ଚ ପଦବୀରେ ବସିବି ବୋଲି… କିନ୍ତୁ ଆମ ଦେଶର ମହାନ ଗଣତନ୍ତ୍ର ପାଇଁ ଆଜି ଏ ସବୁ ସମ୍ଭବ ହୋଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏଠାରେ ସୂଚନା ଦେଉଛୁ କି, ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସାଙ୍ଗରେ ପତ୍ନୀ ମଧ୍ୟ ଅଛନ୍ତି। ରାଷ୍ଟ୍ରପତିଙ୍କର ଭୂମି ପ୍ରଣାମ ଦୃଶ୍ୟ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
The post ଗାଁରେ ପହଞ୍ଚିବା ପରେ ଜନ୍ମମାଟିକୁ ମୁଣ୍ଡରେ ଲଗାଇଲେ ରାଷ୍ଟ୍ରପତି, ଭାଇରାଲ୍ ହେଲା ଫଟୋ appeared first on OTV Khabar..